କବିତା - ବାଟବଣା ବିବେକ





ରଚନା - ଲକ୍ଷ୍ମୀନାରାୟଣ ପଟ୍ଟନାୟକ



ଜୀବନର ଅପରାହ୍ନରେ

ଅସ୍ତମିତ ସୂର୍ଯ୍ୟର ଲାଳିମାକୁ କାବୁ କରି

ଘୋଟି ଆସେ ଅନ୍ଧାର

ଆରମ୍ଭ ହୋଇଯାଏ ଘମାଘୋଟ ଲଢେଇ

ଆଉ ବିବେକ ହୁଏ ବାଟବଣା,

ନାଲି ଓଢଣାର ଉହାଡରେ ଲୁଚିଯାଏ

ବାତ୍ସଲ୍ୟ ପ୍ରେମର ସବୁତକ ଇସ୍ତାହାର

ପ୍ରତାରଣାର ଗୁଳି ଗୁଡାକ

ବିଦ୍ଧ ହେଉଥାଏ ବୃଦ୍ଧାଶ୍ରମର ଚାରିକାନ୍ଥରେ

ଯାହା ସଭିଙ୍କୁ ଥାଏ ଅଜଣା ॥


ମାଡିଆସେ ରାତ୍ରିର ଘନ ଅନ୍ଧକାର

ପିତୃତ୍ଵର ରୁଦ୍ଧ ହୃଦୟଟା

ଚିତ୍କାର କରିଉଠୁଥାଏ ଖୁବ ଜୋରରେ,

ବୃଦ୍ଧାଶ୍ରମର ଶଯ୍ୟାଶାୟୀ ମଣିଷଟା

ଶ୍ଵାସରୁଦ୍ଧ ହୋଇ ଅଣନିଶ୍ଵାସୀ ପାଲଟିଯାଏ

ପୁଣି ଚୁରମାର ହୋଇଯାଉଥାଏ

ତା'ର ସବୁ ଆଶା ଓ ଭରସା ଜୀବନର ସାୟାହ୍ନରେ ॥