କବିତା - ଇଂରାଜୀ ନୂଆବର୍ଷର ଅଭିଜ୍ଞତା





ରଚନା - ଲକ୍ଷ୍ମୀନାରାୟଣ ପଟ୍ଟନାୟକ



ନଥିଲା କିଛି ନୂଆ

କେବଳ ଯୋଡି ହୋଇଯାଇଥିଲା

ଆଉ ଗୋଟିଏ ବର୍ଷର ଅଭିଜ୍ଞତା,

ସବୁ ଯେମିତି ଥିଲା ଆଜି ବି ସେମିତି

ଭାବିଥିଲି କିଛି ଗୋଟେ ନୂଆହେବ

ବଦଳିଯିବ ମଣିଷର ମନ

ପୃଥିବୀରେ ଭରିଯିବ ଆତ୍ମୀୟତା... ॥


ନଥିଲା କିଛି ଲାଭ

ପାଣି ଭଳି ବୋହିଗଲା ଅର୍ଜିତ ଧନ ଗୁଡାକ,

ବିନିମୟରେ ହିଂସା ଆଉ ଦ୍ଵେଷ

ମାତାଲ ପାଲଟିଲା ଏ ମଣିଷ

ଆଉ ବେସୁରା ବି ହେଲା ପ୍ରେମର ସଙ୍ଗୀତ... ॥


ଭାବିଥିଲି ବଦଳିବ ପୃଥିବୀ

ପୁଣି ପୃଥିବୀରେ ମଣିଷର ମନ,

ହସି ଉଠିବ

ସ୍ନେହ-ପ୍ରେମ-ଶାନ୍ତି-ମୈତ୍ରୀ ର ପ୍ରୀତି ଉପବନ,

ନୂତନ ସୁର୍ଜ୍ୟୋଦୟର ମୁହୁର୍ତ୍ତରେ

କାନେ କାନେ ବାଜି ଉଠୁଥିବ

ବିଶ୍ଵଭାତୃତ୍ଵର ପବିତ୍ର ଗାନ... ॥


କାହିଁ କିଛିତ ବଦଳିଲା ନାହିଁ

ସବୁ ସେମିତି ରହିଗଲା ଅଧୁରା ଅଧୁରା

ଅଭିଜ୍ଞତାରୁ ବି ବୁଝିହେଲା ନାହିଁ

କେଉଁ ପୁରୁଣା କଥାଟା ବା ନୂଆ ହେଲା ?

ସବୁ ଯେ ସେମିତି ରହିଗଲା,

ଖାଲି ବଦଳିଥିଲା

ମୋ ଅଫିସର ଟେବୁଲ କାଚତଳୁ

ତାରିଖ ଲେଖାଥିବା ପୁରୁଣା କାଗଜଟା,

ଆଉ ଆମ ଘର କାନ୍ଥରେ

ଝୁଲୁଥିଲା ଖାଲି ନୂଆ କ୍ୟାଲେଣ୍ଡରଟା ॥